ଶୁକ୍ରବାର ଠାରୁ ୩ ଦିନିଆ ସରକାରୀ ଗସ୍ତରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ବିଜେପି କର୍ମକର୍ତ୍ତା ସଫଳ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ୨ୟ ଗସ୍ତ ।
ଶୁକ୍ରବାର ହେଲିକପ୍ଟର ଯୋଗେ ରାଇସୁଆଁ ଏୟାରଷ୍ଟ୍ରିପ୍ରେ ୧୦ଟା୨୦ ମିନିଟ୍ରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଏକ ବାଇକ୍ ଶୋଭାଯାତ୍ରାରେ କେନ୍ଦୁଝର ଅଡିଟୋରିୟମ୍ରେ ଲାଇଫ୍ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅଡିଟୋରିୟମ୍ରେ ମୁଖ୍ୟଅତିଥି ଭାବେ ରହିବା ପରେ ସେଠାରୁ ସଡ଼କ ପଥରେ ଦିନ ୧ଟାରେ ସର୍କିଟ୍ ହାଉସ ଅଭିମୁଖେ ଯାତ୍ରା କରିବେ । ପୁଣି ଅପରାହ୍ନ ୨ଟା ୨୦ ମିନିଟ୍ରେ ହେଲିକେପ୍ଟର ଯୋଗେ କରଞ୍ଜିଆପଡା ଗ୍ରାମକୁ ଯାତ୍ରା କରିବେ ।
ମା’ ତାରିଣୀ କ୍ଲବ୍ ପକ୍ଷରୁ ଆୟୋଜିତ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୪୦ ମିନିଟ୍ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମକୁ ଯାତ୍ରା କରିବେ । ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ସଡ଼କପଥରେ କେନ୍ଦୁଝର ସହରର କାଶ୍ଭି ଇଣ୍ଟରନ୍ୟାସ୍ନାଲ ହଟେଲରେ ବିଧାୟକ ଓ ସାଂସଦଙ୍କ ସହିତ ଏକ ବୈଠକରେ ଯୋଗଦେବେ । ପରେ ରାତି ୧୦ଟା ୧୦ଳ ମିନିଟ୍ରେ ପୁଣି ସର୍କିଟ୍ ହାଉସ ଯାତ୍ରା କରି ସେଠାରେ ରାତ୍ରୀଯାପନ କରିବେ ।
ଶନିବାର ୭ଟା ୩୦ ମିନିଟ୍ରେ କେନ୍ଦୁଝର ଷ୍ଟାଡିୟମରେ ପ୍ରାତଃଭ୍ରମଣ କରିବା ପରେ ଚାଏ’ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବାହ୍ନ ୧୦ଟା ୧୦ ମିନିଟ୍ରେ କେନ୍ଦୁଝର ଡିଡି କଲେଜ ଖେଳ ପଡ଼ିଆରେ ଆୟୋଜିତ ମେଗା ଚକ୍ଷୁ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ସେଠାରେ ଏସ୍ସିବି ମେଡ଼ିକାଲ କଲେଜର ଡାକ୍ତରୀ ଦଳଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୧୧ଟା ସମୟରେ ଅଡିଟୋରିୟମ୍ରେ ଏକ ଖବରକାଗଜ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧ଟା ସମୟରେ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବେ ।
ଝାଡ଼ଖଣ୍ଡରୁ ଫେରିବା ପରେ ସନ୍ଧ୍ୟା ସାଢ଼େ ୫ଟାରେ କେନ୍ଦୁଝର ଟାଉନ ହଲ୍ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟା ୩୫ ମିନିଟ୍ରେ ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଏକ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କରାଯିବା ସହିତ ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ ଅଭିଯୋଗପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି । ୭.୧୫ରେ ନରଣପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ରାତି ୮ଟା ୫୦ ମିନିଟ୍ରେ ସର୍କିଟ୍ ହାଉସରେ ପହଞ୍ଚି ରାତ୍ରୀଯାପନ କରିବେ । ରବିବାର ୧୦.୧୦ରେ ରାସପୂଜା ମଣ୍ଡପ ଡେଲି ମାର୍କେଟରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବେ । ସେଠାରୁ ଡିଡି କଲେଜ ଖେଳ ପଡ଼ିଆରେ ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ ୧୨ଟା ୫୦ ମିନିଟ୍ରେ ବାରିପଦା ଅଭିମୁଖେ ଯାତ୍ରା କରିବେ।